Viku Seth
Quick Facts
Biography
ଭିକୁ ସେଠ୍ (ମୃତ୍ୟୁ: ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ଯାତ୍ରା କଳାକାର ଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ମହେନ୍ଦ୍ର ଦାସ । ସେ ଏକ ଯାତ୍ରା ନାଟକ ଶାଗୁଣା ବସିଛି ଡେଣା ମେଲାଇର ତାଙ୍କ ଭୂମିକା ଭିକୁ ସେଠ୍ ପାଇଁ ଏହି ନାମରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୨୦୨୦ ମସିହାରେ ଭିକୁ ହୃଦ୍ଘାତରେ ମୃତ୍ୟୁବରଣ କରିଥିଲେ ।
ଅଭିନୟ ଜୀବନ
ଭିକୁ ସେଠ୍ ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଖଳାନାୟକ ଥିଲେ । ସେ ଓଡ଼ିଆ ଯାତ୍ରା ଜଗତ ସମେତ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୧୯୯୬ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯଶୋଦାରେ ଭିକୁ ଖଳନାୟକ ଭାବରେ ଅଭିନୟ କରିଥିଲେ । ସେ ୩୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରୁଥିଲେ ।
୧୯୮୪ ମସିହାରେ ଭିକୁ ସାତଶଙ୍ଖ ଅପେରାରେ ପ୍ରଥମେ ଅଭିନୟ କରିଥିବା ଆରମ୍ଭ କରିଥିଲେ । ଜନତା ଗଣନାଟ୍ୟର ନାଟକ ଶାଗୁଣା ବସିଛି ଡେଣା ମେଲାଇରେ ସେ ଭିକୁ ସେଠ୍ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ତାଙ୍କର ଲୋକପ୍ରିୟ ସଂଳାପ ଥିଲା, "ନାଁଟା ତା'ହେଲେ ମୀନା, ଭଲ ନାଚିଲ... ।" ତାଙ୍କର ଅନ୍ୟ ଏକ ଲୋକପ୍ରିୟ ସଂଳାପ ଥିଲା, "ଭଲକୁ ଭଲ କହିବା କ'ଣ ଖରାପ !" ଓ "ଖୁମ୍ପିଦେଲୁ, ଭଲ କଲୁ... ଧେତ୍ ।" ସେ ଧଉଳୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଆଦିରେ ସେ ଅଭିନୟ କରିଥିଲେ ।
କାମ କରିଥିବା ଗଣନାଟ୍ୟ
- ସାତଶଙ୍ଖ ଅପେରା
- ଧଉଳୀ ଗଣନାଟ୍ୟ
- ପାର୍ବତୀ ଗଣନାଟ୍ୟ
- ଗୌରୀ ଗଣନାଟ୍ୟ
- କଳିଙ୍ଗ ଗଣନାଟ୍ୟ
- ଜନତା ଗଣନାଟ୍ୟ
ଅଭିନୀତ କଥାଚିତ୍ର
- ୧୯୯୬: ଯଶୋଦା
ମୃତ୍ୟୁ
ଭିକୁ ସେଠ୍ ୨୦୨୦ ମସିହାରେ ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ହୃଦ୍ଘାତରେ ପ୍ରାଣ ହରାଇଥିଲେ । ତାଙ୍କର ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ପୁରୀ ଜିଲ୍ଲାସ୍ଥିତ ତାଙ୍କର ପୈତୃକ ଗ୍ରାମ ଚନ୍ଦନପୁରର କୁଶପଦାଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଭିକୁ ସେଠ୍