Sarat Kumar Sahoo
Quick Facts
Biography
ଶରତ କୁମାର ସାହୁ, ଜଣେ ଓଡ଼ିଆ ଶିଳ୍ପଦ୍ୟୋଗୀ । ସେ 'ରୁଚି ମସଲା'ର ଜନକ ଏବଂ 'ଓମ ତୈଳ ଓ ଅଟା କଳ'ର ପ୍ରତିଷ୍ଠାତା ।
ଶରତଙ୍କ ପରିବାର, ଏକଦା କଟକର ରାଣୀହାଟଠାରେ ଏକ ଛୋଟ ହୋଟେଲ କରି ଚଳୁଥିଲେ । ସୁସ୍ୱାଦୁ ଖାଦ୍ୟ ପରିବେଷଣ ପାଇଁ ଏହି ହୋଟେଲଟି ଜଣାଶୁଣା ଥିଲା । ୧୯୭୫ ମସିହାରେ ସରକାର କୌଣସି କାରଣ ବଶତଃ ଏହି ହୋଟେଲଟିକୁ ଭାଙ୍ଗି ଦେଇଥିଲେ । ସୁସ୍ୱାଦୁ ଖାଦ୍ୟ ପରଷିବାର ଶରତ ବାବୁଙ୍କ ଇଚ୍ଛା, ପରବର୍ତ୍ତୀ ସମୟର ରୁଚି ମସଲା ଉଦ୍ୟୋଗକୁ ବାଟ କଢେଇଥିଲା । ୧୯୭୬ ମସିହାରେ ମାତ୍ର ୫୦୦୦ଟଙ୍କାର ମୂଳଧନ ସହିତ, ସେ ଓମ ତୈଳ ଓ ଅଟା କଳ ପ୍ରତିଷ୍ଠା କରିଥିଲେ ।କିଛି ସମୟପରେ, ସେ ଏହି କଳରୁ ମସଲା ଓ ସିମେଁଇ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ୧୯୭୮ ମସିହାରେ ବିଜୁ ବାବୁ,ଶରତ ବାବୁଙ୍କୁ ଏକ କର୍ମଶାଳାରେ ଯୋଗଦେବା ପାଇଁ, ଦକ୍ଷିଣ ଆଫ୍ରିକା ପଠାଇଥିଲେ । ସେଠାରୁ, ସେ ଫୁଡ଼ ପ୍ରୋସେସିଂ ବାବଦରେ କଳାକୌଶଳ ଶିକ୍ଷାଗ୍ରହଣ କରି, ନିଜ ବ୍ୟାପାରରେ ଲଗେଇଲେ ଓ ବହୁ ସଫଳତା ହାସଲ କରିଥିଲେ । ସେହି ଧାରା ଏବେ ମଧ୍ୟ ଅବ୍ୟାହତ ରହିଛି ଓ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ କଳାକୌଶଳ ଆସି, କଟକ ଖପୁରିଆସ୍ଥିତ ତାଙ୍କ କାରଖାନାରେ ପାସ୍ତା ତିଆରିରେ ବ୍ୟବହାର କରାଯାଉଛି । ରୁଚି ମସଲା ଏବେ ରାଜ୍ୟ ଓ ଦେଶ ମଧ୍ୟରେ ଆବଦ୍ଧ ନରହି, ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି ।
ଶରତ ପିଲାଦିନେ ଜଣେ କବାଡ଼ି ଖେଳାଳି ଥିଲେ ଓ ଓଡ଼ିଶା ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଓଡ଼ିଶା କବାଡ଼ି ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ତାଙ୍କ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ 'ରୁଚି ପ୍ରତିଭା ସମ୍ମାନ' ପ୍ରଦାନ କରାଯାଇଥାଏ ।ତାଙ୍କ ଜୀବନୀକୁ ନେଇ ଶରତ ଶତମ୍ ନାମରେ ଏକ ପୁସ୍ତକ ଲେଖାଯାଇଛି ।
ପୁରସ୍କାର ଓ ସମ୍ମାନ
- ସ୍ୱାଭିମାନ ସମ୍ମାନ(ଓଡ଼ିଶା ସରକାର) - ୧୯୯୯
- ବିଜୁ ପଟ୍ଟନାୟକ ମେମୋରିଆଲ ସମ୍ମାନ - ୨୦୦୦
- ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ସମ୍ମାନ - ୨୦୦୧,୨୦୦୩,୨୦୦୪,୨୦୦୮
- ଓଡ଼ିଶା ଲିଡରସିପ ଆବାର୍ଡ଼(ଟାଇମ୍ସ ଅଫ ଇଣ୍ଡିଆ) - ୨୦୦୮
- ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆବାର୍ଡ଼ - ୨୦୧୩
- ପ୍ରୟାସ ସମ୍ମାନ - ୨୦୧୪