Madhusmita Mohanty
Quick Facts
Biography
ମଧୁସ୍ମିତା ମହାନ୍ତି, (ଜନ୍ମ: ୧୫ ଜୁଲାଇ ୧୯୭୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ମଧୁସ୍ମିତା ଏକଳ ଓ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନାଙ୍କ ସହ ଯୁଗଳ ନୃତ୍ୟ ପାଇଁ ପରିଚିତ । ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର, ମାହାରୀ ସମ୍ମାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ ଆଦି ପ୍ରାପ୍ତ ହୋଇଛି ।
ବ୍ୟକ୍ତିଗତ ଜୀବନ ଓ ଶିକ୍ଷା
ମଧୁସ୍ମିତା ୧୯୭୩ ମସିହା ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବଂଶୀବାଦକ । ସେ ୭ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନୃତ୍ୟଗୁରୁ ଥିଲେ ତମାଳ ପାତ୍ର । ୧୯୮୪ ମସିହାରେ ସେ ଓଡ଼ିଶା ଡାନ୍ସ ଏକାଡ଼େମୀରେ ଯୋଗ ଦେଇଥିଲେ । ସେଠାରେ ସେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଅରୁଣା ମହାନ୍ତି ଓ ଗଙ୍ଗାଧର ପ୍ରଧାନଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଓଡ଼ିଶୀରେ ଅଳଙ୍କାର ପୂର୍ଣ୍ଣ ଶିକ୍ଷା ସମାପ୍ତ କରିଛନ୍ତି । ଓଡ଼ିଶା ଡାନ୍ସ ଏକାଡ଼େମୀରେ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନା ମଧ୍ୟ ନୃତ୍ୟ ଶିକ୍ଷା କରୁଥିଲେ । ୧୯୯୮ ମସିହା କୋଣାର୍କ ନୃତ୍ୟ ଉତ୍ସବରେ ରମେଶ ଓ ମଧୁସ୍ମିତାଙ୍କୁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନା ହରଗୌରାଷ୍ଟକରେ ପ୍ରଥମ ଥର ଏକାଠି ନାଚିବାକୁ ସୁଯୋଗ ମିଳିଥିଲା । ଯୁଗଳ ନୃତ୍ୟରୁ ସେମାନଙ୍କର ବନ୍ଧୁତ୍ୱ, ୨୦୦୨ ମସିହାରେ ବିବାହରେ ପରିଣତ ହୋଇଥିଲା । ତାଙ୍କ କନ୍ୟା ତନିଶା ତନୁଶ୍ରୀ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ।
ନର୍ତ୍ତକୀ ଜୀବନ
ମଧୁସ୍ମିତା ଓଡ଼ିଶା ଡାନ୍ସ ଏକାଡ଼େମୀ ଏକଳ ନୃତ୍ୟର ପ୍ରମୁଖ ନର୍ତ୍ତକୀ ଓ ସେହି ଅନୁଷ୍ଠାନର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ସେ ଜର୍ମାନୀ, ଇଟାଲୀ, କ୍ରୋଏସିଆ ଓ ଇଂଲଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ପଲ୍ଲବୋତ୍ସବ, ପୋଲାଚୀ ଉତ୍ସବ, କାଳିଦାସ ସମାରୋହ, ପୁରୀ ବେଳାଭୂମି ଉତ୍ସବ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ଆୟୋଜିତ ସ୍ୱର୍ଣ୍ଣ ନୃତ୍ୟ ସମାରୋହ, ସ୍ୱର୍ଣ୍ଣ ନୃତ୍ୟ ପ୍ରତିଭା ଆଦି କାର୍ଯ୍ୟକ୍ରମରେ ଓଡ଼ିଶା ଡାନ୍ସ ଏକାଡ଼େମୀର ମୁଖ୍ୟ ନର୍ତ୍ତକୀ ଭାବରେ ଓଡ଼ିଶୀ ପରିବେଷଣ କରିଛନ୍ତି ।
ସମ୍ମାନ ଓ ପୁରସ୍କାର
- ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସିନିୟର ବୃତି
- ଶୃଙ୍ଗାରମଣି ଉପାଧୀ - ୧୯୯୪ (ସୁର ଶୃଙ୍ଗାର ସଂସଦ)
- ଦେବ ପ୍ରସାଦ ଦାସ ବୃତି
- ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ
- କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୦୭
- ମାହାରୀ ସମ୍ମାନ - ୨୦୧୪