Kailash Lenka
Quick Facts
Biography
କୈଳାଶ ଲେଙ୍କା (୧୭ ସେପ୍ଟେମ୍ବର ୧୯୩୭–୨ ଡିସେମ୍ବର ୨୦୦୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାହିତ୍ୟ ସଂଗଠକ ଓ ଓକିଲ ଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ । ସେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀରୁ ୧୯୭୧ ସାଧାରଣ ନିର୍ବାଚନରେ କାହ୍ନୁ ଚରଣ ଲେଙ୍କା ଓ ବିଜୁ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ୬୦-୭୦ ଦଶକରେ ଙ-ଞ୍ଜ-ଌ ପ୍ରକାଶନରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହା ବ୍ୟତୀତ ସେ ବିନ୍ଦୁ ବିସର୍ଗ ପତ୍ରିକା ପ୍ରକାଶ କରିଥିଲେ । ପୁରୀରୁ ଆରମ୍ଭ ଅନାମ ଅନ୍ଦୋଳନର ସେ ଯୋଗଦେଇଥିଲେ ।
ଜୀବନୀ
କୈଳାଶ ଲେଙ୍କା ୧୯୩୬ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପବନ୍ଧୁ ଲେଙ୍କା ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଲେଙ୍କା ଥିଲା । ସେ ୧୯୫୪ରେ କଟକ ଜିଲ୍ଲାର ଟାଙ୍ଗୀ ବିଦ୍ୟାପୀଠରୁ ମାଟ୍ରିକ୍, ୧୯୫୮ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ପଢ଼ିଥିଲେ । ଛାତ୍ରାବସ୍ଥାରୁ ସେ ସାହିତ୍ୟ, ରାଜନୀତି ଓ ସମାଜସେବାରେ ସକ୍ରିୟ ଭାବେ ଜଡ଼ିତ ଥିଲେ । ୧୯୫୬ରେ ରେଭେନ୍ସାର ଦିବାଧ୍ୟାୟୀ ଛାତ୍ର ସଂସଦର ସମ୍ପାଦକ, ୧୯୫୭ରେ କଟକରେ ରବିବାସରୀୟ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ, ୧୯୬୪ରେ ଓଡ଼ିଆ ଯୁବ ଲେଖକ ସମ୍ମେଳନ ସଭାପତି ଥିଲେ । ୧୯୬୦ ମସିହାରେ କଲିକତା ପ୍ରେସିଡେନ୍ସି କଲେଜରୁ ଆଧୁନିକ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପଢ଼ିଥିଲେ । ସେତେବେଳେ ସେ ସେଠାକାର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ ।
ରଚନାବଳୀ
- ପ୍ରଥମ ପୁଷ୍ପ (୧୯୫୮, ଗଳ୍ପ)
- ନେତା ଓ ନେତୃତ୍ୱ (୧୯୮୦)
- ରାଜନୈତିକ ରଣସଜ୍ଜା (୧୯୮୦)
- ଶ୍ରୀକ୍ଷେତ୍ର (୧୯୮୭, କବିତା)
- ଶକୁନି (୧୯୮୭, ପ୍ରତୀକାତ୍ମକ କାବ୍ୟ)
- କୈଳାଶ ଲେଙ୍କାଙ୍କ କବିତା (୨୦୦୪, ମୃତ୍ୟୁ ପରେ ପ୍ରକାଶିତ)
- କେତେ ରାସ୍ତା ଆନନ୍ଦ ମଠକୁ (କବିତା))
- ଓଲଟ ବୃକ୍ଷ (ଗଳ୍ପ))
- କାଠ ବେଙ୍ଗ କାଠର ବେଙ୍ଗୁଲୀ (ଗଳ୍ପ)
ସମ୍ମାନ ଓ ପୁରସ୍କାର
- ମାତୃଭୂମି ସାହିତ୍ୟ ସମ୍ମାନ
- କବି ଜ୍ଞାନୀନ୍ଦ୍ର ବର୍ମା ସମ୍ମାନ
- ଗୋକର୍ଣ୍ଣିକା ସମ୍ମାନ
- ଚଲାପଥ ସମ୍ମାନ
- ଆଗାମୀ ଶତାବ୍ଦୀର ସାରସ୍ୱତ ସମ୍ମାନ