Tribikram Pati
Quick Facts
Biography
ତ୍ରିବିକ୍ରମ ପତି, ଜଣେ ଓଡ଼ିଆ ଗଣିତଜ୍ଞ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ । ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରିଥିବା ସେ ପ୍ରଥମ ଓଡ଼ିଆ ବ୍ୟକ୍ତି । ଗାଣିତିକ ସିଦ୍ଧାନ୍ତ ରିମାନ ହାଇପୋଥେସିସ୍ର ସମାଧାନ ସୂତ୍ର ବାହାର କରି, ସେ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।
ବାଲ୍ୟଜୀବନ ଓ ଶିକ୍ଷା
ତ୍ରିବିକ୍ରମ, ୧୯୨୯ ଅକ୍ଟୋବର ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ନାତି ଥିଲେ । ସେ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ ଓ ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ୧୯୪୮ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ୧୯୫୦ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ ।
ବୃତ୍ତିଗତ ଜୀବନ
ସ୍ନାତକୋତ୍ତର ପରେ,୧୯୫୦ମସିହାରେ ତ୍ରିବିକ୍ରମ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଁ ଜଣେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗଦେଇଥିଲେ । ତାଙ୍କର ରିସର୍ଚ୍ଚ କାମ ଦେଶ ବିଦେଶର ଅନେକ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ୧୯୫୩ ମସିହାରେ, ମାତ୍ର ୨୪ବର୍ଷ ବୟସରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଇନ ଫିଲୋସଫି ଓ ୧୯୫୬ ମସିହାରେ ଡକ୍ଟରେଟ ଇନ ସାଇନ୍ସ ଉପାଧୀ ପ୍ରଦାନ କରିଥିଲା । ଡକ୍ଟରେଟ ଇନ ସାଇନ୍ସ ଉପାଧୀ ଲାଭକରିବାରେ ସେ ବିଶ୍ୱବିଦ୍ୟାଳୟର କନିଷ୍ଠତମ ଅଧ୍ୟାପକ ଥିଲେ । ସେ ଦୁଇ ବର୍ଷ ପାଇଁ ବୁର୍ଲା ଇଞ୍ଜିନିୟରିଂ କଲେଜର ଗଣିତ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୮ରେ ପୁନର୍ବାର ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟକୁ ଫେରିଯାଇ ଗଣିତ ବିଭାଗର ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟାରାମ୍ଭ କରିଥିଲେ । ଚାକିରି ଜୀବନର ମୁଖ୍ୟ ଭାଗ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଁ ବିତାଇଥିଲେ । ପ୍ରାୟ ଦଶ ବର୍ଷ ସେ ଜବଲପୁର ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ଗଣିତଜ୍ଞ ଭାବରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ଅସମାହିତ "ରିମାନ ହାଇପୋଥେସିସ"ର ସମାଧାନ ସୂତ୍ର ବାହାର କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହା ବ୍ୟତିତ ଅନ୍ୟନ୍ୟ ଦେଢ଼ ଶହ ଅସମାହିତ ଗଣିତର ସମାଧାନ ସୂତ୍ର ମଧ୍ୟ ସେ ବାହାର କରିଥିଲେ ।
ଗଣିତ ବ୍ୟତିତ ସଂସ୍କୃତରେ ମଧ୍ୟ ତାଙ୍କର ପାଣ୍ଡିତ୍ୟ ଥିଲା । ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଓ ସଂସ୍କୃତରେ ସେ କବିତା ମଧ୍ୟ ରଚନା କରିଛନ୍ତି । ଚିତ୍ରାଙ୍କନ ଓ ଡାକଟିକଟ ସଂଗ୍ରହରେ ତାଙ୍କର ରୁଚି ଥିଲା ।
ଓଡ଼ିଶା ଗଣିତ ସଂସଦ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ଓ "ଆହ୍ଲାବାଦ ଗଣିତ ସଂସଦ" ଭଳି ବହୁ ଅନୁଷ୍ଠାନ ସହିତ ସେ ଜଡ଼ିତ ରହିଥିଲେ ।
ସମ୍ମାନ ଓ ପୁରସ୍କାର
- କଲିସ୍ ମେମୋରିଆଲ ଲେକ୍ଚରସିପ ସମ୍ମାନ
- ରାଜୀବ ଗାନ୍ଧୀ ନେସନାଲ ଇଉନିଟି ସମ୍ମାନ
୨୦୦୮ ଜୁଲାଇ ୦୨ତାରିଖରେ ଆହ୍ଲାବାଦଠାରେ ପ୍ରଫେସର ପତିଙ୍କର ଦେହାନ୍ତ ହୋଇଥିଲା ।