Sibabrata Das
Quick Facts
Biography
ଶିବବ୍ରତ ଦାସ ଜଣେ ଓଡ଼ିଆ ଗୀତିକାର ଥିଲେ । ୬୦ରୁ ୯୦ ଦଶକ ମଧ୍ୟରେ ସେ ପ୍ରାୟ ୫୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଗୀତ ଲେଖିଥିଲେ ।
ଜୀବନୀ
ଶିବବ୍ରତ, ୧୯୩୦ମସିହା ଅଗଷ୍ଟ ୨୬ତାରିଖରେ ବାଲେଶ୍ୱରରେ ଏକ ଗୀତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଶଚୀନ୍ଦ୍ର ଦାସ ଓ ମାତା କୁମୁଦିନୀ ଦେବୀ । ସେ ସୁବାସିନୀ ଦେବୀଙ୍କୁ ବିବାହ କରିଥିଲେ । ବେବି ଓ ବାବି ନାମରେ ତାଙ୍କର ଏକ କନ୍ୟା ଓ ପୁତ୍ର ସନ୍ତାନ ଅଛନ୍ତି । ଶିବବ୍ରତଙ୍କର କବିତା ଲେଖିବା ଆରମ୍ଭ ହୋଇଥିଲା, ସେରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ । ସେଠାରେ ଶିବବ୍ରତ ଜୀବନାନନ୍ଦ ପାଣିଙ୍କ ସଂସ୍ପର୍ଶରେ ଆସିଥିଲେ । ଜୀବନନନ୍ଦ ବି ରେଭେନ୍ସାରେ ଛାତ୍ର ଥିଲେ । ଦୁହେଁ ମିଶି ସେତେବେଳେ ଅନେକ ବ୍ୟଙ୍ଗ କବିତା ଲେଖିଥିଲେ । "ଦ ହୁଇଲ" ପତ୍ରିକାରେ ସେତେବେଳେ ଶିବବ୍ରତଙ୍କର ବହୁ ଇଂରାଜୀ କବିତା ପ୍ରକାଶ ପାଇଥିଲା । ତାଙ୍କ ମାମୁ ପୁଅ ଭାଇ ପାର୍ଥସାରଥି ମହାପାତ୍ର ମଧ୍ୟ ରେଭେନ୍ସାର ଛାତ୍ର ଥିଲେ । ପାର୍ଥସାରଥିଙ୍କ ମଧ୍ୟ ଗୀତ ଲେଖୁଥିଲେ ଓ ତାକୁ ସୁର ଦେଉଥିଲେ ଅକ୍ଷୟ ମହାନ୍ତି । ପାର୍ଥସାରଥି ଦିଲ୍ଲୀ ଚାକିରି କରିବାକୁ ପଳେଇଗଲା ପରେ, ଅକ୍ଷୟଙ୍କ ନଜର ପଡିଥିଲା ଶିବବ୍ରତଙ୍କ ଉପରେ । ଶିବବ୍ରତ ସେତେବେଳକୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ଶିବବ୍ରତଙ୍କ କବିତା ପଢି ଅକ୍ଷୟ ମୁଗ୍ଧ ହୋଇଥିଲେ ଓ ତାଙ୍କୁ ଗୀତ ଲେଖିବାକୁ ଅନୁରୋଧ କରିଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଶିବବ୍ରତଙ୍କ ସହ ଅକ୍ଷୟଙ୍କ ସହବନ୍ଧନ । ଅକ୍ଷୟଙ୍କ କଥାରୁ, ସେ ଶାନ୍ତନୁ ମହାପାତ୍ରଙ୍କ ସହ ଦେଖା କଲେ । ଶାନ୍ତନୁ ତାଙ୍କ ଗୀତ ଆକାଶବାଣୀ କଟକରେ ଦାଖଲ କଲେ । ଭୁବନେଶ୍ୱର ମିଶ୍ର ଆକାଶବାଣୀର କାର୍ଯକ୍ରମ "ସଜଫୁଲ" ପାଇଁ ତାଙ୍କ ଲିଖିତ ଗୀତ "କାଇଁଚ ପତର ସରୁ" ଚୟନ କଲେ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆକାଶବାଣୀ କଟକରେ ଏହି ଗୀତ ପ୍ରସାରିତ ହେଲା । ଏହି ଗୀତ ଦ୍ୱାରା, ସେ ଲୋକଲୋଚନକୁ ଆସିଥିଲେ । ଧୀର ବିଶ୍ୱାଳ ନିଜ ଚଳଚ୍ଚିତ୍ର ମନ ଆକାଶ ପାଇଁ ଶିବବ୍ରତଙ୍କୁ ଗୀତ ଲେଖିବାକୁ ଅନୁରୋଧ କଲେ । ପ୍ରଥମ ଗୀତ ଥିଲା "ଏ ବନ ଝରଣା" । ଗୀତଟି ଭଲ ହେବାରୁ, ସେହି ଚଳଚ୍ଚିତ୍ର ପାଇଁ ଆଉ ଚାରୋଟି ଗୀତ ମଧ୍ୟ ଲେଖିଲେ । ଏହିପରି ଆରମ୍ଭ ହେଲା ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା । ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।
ଶିବବ୍ରତ ପୁଲିସ ବିଭାଗରେ ଶ୍ରେଷ୍ଠ ବନ୍ଧୁକ ଚାଳକ ଭାବରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୫ବର୍ଷ ଧରି ଜାତୀୟ ସ୍ତରରେ ଓଡ଼ିଶାକୁ ବନ୍ଧୁକ ଚାଳନାରେ ପ୍ରତିନିଧିତ୍ୱ କରିଥିଲେ ।
ଶିବବ୍ରତ ଲେଖିଥିବା କିଛି କଥାଚିତ୍ର ଗୀତ ହେଲା :
- ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ
- ନଦୀର ନାମ ଅଳସ କନ୍ୟା
- ଉର୍ମି ଅଧିର ରୂପସି ଚିଲିକା
- ଯା ଯାରେ ଭାସି ଯା
- ମୁଁ ଯେ ଅମୃତ ସାଗର ବିନ୍ଦୁ
ମୃତ୍ୟୁ
୧୯୮୮ ସେପ୍ଟେମ୍ବର ୮ତାରିଖରେ ଶିବବ୍ରତ ଦାସଙ୍କର ପରଲୋକ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର
ଅଧିକ ତଥ୍ୟ
- ଶିବବ୍ରତ ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)