Phulamani Santa
Quick Facts
Biography
ଫୁଲମଣି ଶାନ୍ତା (୩୧ ଡିସେମ୍ବର ୧୯୫୩ - ୩୦ ଡିସେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଫୁଲମଣି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ । ଫୁଲମଣି ଆଦିବାସୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଫୁଲମଣି ଶାନ୍ତା ୧୯୫୩ ମସିହାରେ ଡିସେମ୍ବର ମାସ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା କନ୍ଧୁ ଶାନ୍ତା । ସେ ମ୍ୟାଟ୍ରିକ୍ ପାଶ୍ କରିନଥିଲେ । ଫୁଲମଣି ସି.ଏଚ୍. ଜାନିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଫୁଲମଣି ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ।
ରାଜନୈତିକ ଜୀବନ
ଫୁଲମଣି ଓଡ଼ିଶା ଆଦିବାସୀ ସଂଘମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଥିଲେ ଏବଂ ବିଭିନ୍ନ ମହିଳା ସଂଘମାନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ । ସେ ମହିଳାମାନଙ୍କୁ ବିଭିନ୍ନ ସଂଘରେ ଯୋଗ ଦେବାକୁ ପ୍ରବର୍ତ୍ତାଇବା ସହ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଲଢ଼ି ଆସୁଥିଲେ । ଆଦିବାସୀ ସମାଜରେ ବାଳିକା ଏବଂ ମହିଳାମାନଙ୍କର ଶିକ୍ଷାକୁ ପ୍ରସାର କରିବା ପାଇଁ ସେ ବିଭିନ୍ନ ସଂଘଠନ ସହ କାର୍ଯ୍ୟ କରିବା ସହିତ ନିଜେ ଶିକ୍ଷାଦାନ ବି କରୁଥିଲେ ।
ସେ ୧୯୭୧ ମସିହାରେ ଉତ୍କଳ ଆଦିବାସୀ ମଙ୍ଗଳ ସମିତିର ସଦସ୍ୟ ହୋଇଥିଲେ । ଆଦିବାସୀଙ୍କ ପ୍ରତି ଥିବା ଘୃଣ୍ୟ ମନଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଭାଗ ନେଇଥିଲେ ଏବଂ ୧୯୭୨ ମସିହାରେ ରାୟଗଡ଼ାଠାରେ ଗିରଫ ହୋଇଥିଲେ । ନବରଙ୍ଗପୁର ଉପଜିଲ୍ଲାରେ ଆଦିବାସୀ ଅନୁପ୍ରବେଶକାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିବା ସହ ୧୯୭୫ ମସିହାରେ ଗିରିଫ ହୋଇଥିଲେ ।
ଫୁଲମଣି ଶାନ୍ତା ଓଡ଼ିଶା ବିଧାନ ସଭାର ୮ମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଫୁଲମଣି ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ଡାବୁଗାଁ ବିଧାନ ସଭା ଆସନରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଫୁଲମଣି ଶାନ୍ତା ୨୦୦୯ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।