Padmalochan Panda
Quick Facts
Biography
ପଦ୍ମ ଲୋଚନ ପଣ୍ଡା (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ । ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।
ରାଜନୈତିକ ଜୀବନ
ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।
ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।
୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପଦ୍ମଲୋଚନଙ୍କ ସହ କିଛି ବ୍ଲକ୍ସ୍ତରୀୟ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।