Pabitra Panigrahi
Quick Facts
Biography
ପବିତ୍ର ପାଣିଗ୍ରାହୀ ( ଜନ୍ମ : ୫ ଜୁନ ୧୯୬୩), ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।
ବ୍ୟକ୍ତିଗତ ଜୀବନ
ପବିତ୍ର ୧୯୬୩ ମସିହା ଜୁନ ମାସ ୫ତାରିଖ ଦିନ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।
ସାହିତ୍ୟ ସର୍ଜନା
ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରେମିକର ଦଶାବତାର ମଧ୍ୟ ପ୍ରକାଶ କରିଥିଲେ । ବସନ୍ତ ମୁଦୁଲୀ ସ୍ମୃତି ସଂସଦ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।
ରଚନାବଳୀ
ପବିତ୍ରଙ୍କର ସମୁଦାୟ ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥି ମଧ୍ୟରୁ ୮ଟି ଶିଶୁ ସାହିତ୍ୟ ଓ ୮ଟି କବିତା ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କ ସମ୍ପାଦନାରେ ୬ଟି ଗଳ୍ପ, ୫ଟି କବିତା ଓ ୩ଟି ଅନୁଦିତ ପୁସ୍ତକ ପ୍ରକାଶିତ ହୋଇଛି ।
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ ( କ୍ଷୁଦ୍ରଗଳ୍ପ ସଂକଳନ 'ଗପର ମୁହଁ ପାଇଁ)
- ରାଜଧାନୀ ପୁସ୍ତକମେଳା ଗଳ୍ପ ପୁରସ୍କାର
- ପ୍ରଜାତନ୍ତ୍ର ବିଷୁବ ମିଳନ ଗଳ୍ପ ପୁରସ୍କାର
- ଦୁର୍ଗାମାଧବ ମିଶ୍ର ଗଳ୍ପ ପୁରସ୍କାର
- ଟାଇମପାସ ବେଷ୍ଟ ସେଲର ପୁରସ୍କାର
- ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
- ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର