P.V. Krishnamoorthy
Quick Facts
Biography
ପି.ଭି. କୃଷ୍ଣମୂର୍ତ୍ତି (୦୧ ଅପ୍ରେଲ ୧୯୨୧ - ୧୬ ଅକ୍ଟୋବର ୨୦୧୯) ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ (୨୪ ମଇ ୧୯୫୮ - ୧୮ ଅକ୍ଟୋବର ୧୯୬୦) ଓ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଥିଲେ । ତାଙ୍କ ସମୟରେ ଆକାଶବାଣୀ କଟକର କାର୍ଯ୍ୟକ୍ରମର ମାନ ଉନ୍ନତି ଓ ବେତାର ପ୍ରସାରଣରେ ଓଡ଼ିଶାର କଳାସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଆକାଶବାଣୀ ମାଧ୍ୟମରେ ସେ ଅନେକ ଓଡ଼ିଆ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ । ସେ ପିଭିକେ ନାମରେ ମଧ୍ୟ ଲୋକପ୍ରିୟ ଥିଲେ ।
ଜନ୍ମ ଓ ଶିକ୍ଷା
କୃଷ୍ଣମୂର୍ତ୍ତି, ୧୯୨୧ ମସିହାରେ ବର୍ମାର ୟାଙ୍ଗୁନ(ରଙ୍ଗୁନ ମଧ୍ୟ କୁହାଯାଏ) ଜନ୍ମଗ୍ରହଣ କରିଥିଲେ । ସେ ରଙ୍ଗୁନ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକ ଶିକ୍ଷା ହାସଲ କରିଥିଲେ ।
ବୃତିଗତ ଜୀବନ
୧୯୪୪ ମସିହାରେ କୃଷ୍ଣମୂର୍ତ୍ତି ଆକାଶବାଣୀରେ ଜଣେ ଉଦଘୋଷକ ଭାବରେ ଯୋଗଦାନ କରିଥିଲେ । ଆକାଶବାଣୀରେ ସେ ନୂଆ ଦିଲ୍ଲୀ, କେରଳ ଆଦି ବିଭିନ୍ନ କାର୍ଯ୍ୟକରି ଚେନ୍ନାଇ, କଲିକତା ଓ କଟକ କେନ୍ଦ୍ର ନିର୍ଦ୍ଦେଶକ ପଦମଣ୍ଡନ କରିଥିଲେ । ୧୯୭୬ ମସିହା ଅପ୍ରେଲ ୧ ତାରିଖରେ ସେ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଓ ଏହି ପଦବୀରେ ୩ବର୍ଷ କାର୍ଯ୍ୟ କରିଥିଲେ । ଟେଲିଭିଜନକୁ ସେ କେବଳ ମନୋରଞ୍ଜନର ମାଧ୍ୟମ ନକରି, ସାମାଜିକ ଉତ୍ଥାନ ଓ ଜାଗରଣର ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ । ଦୂରଦର୍ଶନରେ ସେ ୧୩୨୦ ଘଣ୍ଟାର ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଇଥିଲେ । ସେ ୟୁନିସେଫ, ୟୁନେସ୍କୋ, ଫାଓ, ୟୁଏନଡିପି ଓ ଏସିଆନ ଇନଷ୍ଟିଟୁଟ ଅଫ ବ୍ରଡ଼କାଷ୍ଟିଂ ଡେଭେଲପମେଣ୍ଟ ସହିତ ଜଡ଼ିତ ଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଆକାଶବାଣୀ କଟକର ନିର୍ଦ୍ଦେଶକ ଭାବରେ
କୃଷ୍ଣମୂର୍ତ୍ତି, ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ । ନିର୍ଦ୍ଦେଶକଙ୍କର ଭୂମିକା କେବଳ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ସିମୀତ ରହିଥାଏ । କିନ୍ତୁ କୃଷ୍ଣମୂର୍ତ୍ତି ଏଥିରେ ବ୍ୟତିକ୍ରମ ଆଣି, ବେତାର କାର୍ଯ୍ୟକ୍ରମରେ ମଧ୍ୟ ନିଜର ଯୋଗଦାନ ଦେଇଥିଲେ । ଓଡ଼ିଶାର ଯୁବ କଳାକାରମାନଙ୍କର ପ୍ରତିଭାର ବିକାଶ କରି ତାଙ୍କୁ ଲୋକଲୋଚନକୁ ଆଣିବାର ଗୁରୁତ୍ୱପୂର୍ଣ୍ଣ କାମ କୃଷ୍ଣମୂର୍ତ୍ତି କରି ପାରିଥିଲେ ।
କୃଷ୍ଣମୂର୍ତ୍ତି ନିଜେ ଜଣେ ସଙ୍ଗୀତ ବିଶାରଦ ଥିଲେ । ସେ ଘଟମ ଆଦି ବାଦ୍ୟଯନ୍ତ୍ର ବଜାଇ ପାରୁଥିଲେ । ଆକାଶବାଣୀର ସଙ୍ଗୀତ ବିଭାଗକୁ ଯେଉଁ ଯୁବ ଶିଳ୍ପୀମାନେ ଆସୁଥିଲେ, ସେମାନଙ୍କୁ ସଂଗଠିତ କରି ସେମାନଙ୍କ ପ୍ରତିଭାର ବିକାଶ କରିଥିଲେ ଓ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିଥିଲେ । ସେହି ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଥିଲେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ରାଧାକୃଷ୍ଣ ଭଞ୍ଜ, ସିକନ୍ଦର ଆଲାମ ଆଦି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ । ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ, ନରସିଂହ ମହାପାତ୍ର, ପରଶୁରାମ ପଟ୍ଟନାୟକ, ଦେବଦାସ ଛୋଟରାୟ ଆଦି ଗୀତିକାରମାନଙ୍କୁ ସେ ନୂତନ କାର୍ଯ୍ୟକ୍ରମ କରିବାର ସୁଯୋଗ ଦେଇଥିଲେ । କଟକରେ ବିଭିନ୍ନ ସଙ୍ଗୀତ ଅନୁଷ୍ଠାନରୁ ସୁନନ୍ଦା ପଟ୍ଟନାୟକ, ଶ୍ୟାମାମଣି ଦେବୀ ଆଦି ନାରୀ ସଙ୍ଗୀତ ଶିଳ୍ପୀମାନଙ୍କୁ ଆଣି ଓଡ଼ିଶାର ଶ୍ରୋତାମାନଙ୍କ ମଧ୍ୟରେ ପରିଚିତ କରାଇଥିଲେ । ଆକାଶବାଣୀରେ ଆଗରୁ ସକ୍ରିୟ ଥିବା ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶ୍ରୀବତ୍ସ ପଟ୍ଟନାୟକ, ବୀଣାପାଣି ମହାନ୍ତି, ହରିପ୍ରସାଦ ଚୌରାଶିଆ ଆଦିଙ୍କର ସଙ୍ଗୀତକୁ ଲୋକପ୍ରିୟ କରାଇବା ପାଇଁ ନୂତନ ଧରଣର ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଇଥିଲେ ।
ପଲ୍ଲୀଶ୍ରୋତାମାନଙ୍କ ପାଇଁ ସେ କୃଷି, ଲୋକକଳା ଓ ଲୋକଗୀତ କାର୍ଯ୍ୟକ୍ରମମାନ ଆରମ୍ଭ କରାଇଥିଲେ । ସେହି କାର୍ଯ୍ୟକ୍ରମ ସବୁ ବହୁଳ ଲୋକପ୍ରିୟତା ହାସଲ କରିଥିଲା । ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । ତାଙ୍କରି ସମୟରେ ନାଟକ ବିଭାଗ ଗୋପାଳ ଛୋଟରାୟ, ନରସିଂହ ମହାପାତ୍ର, ମନୋରଞ୍ଜନ ଦାସ, ସୁରେନ ମହାନ୍ତି ଓ ସାମୁଏଲ ନାୟକଙ୍କ ବଳିଷ୍ଟ ରଚନା ଓ ପ୍ରଯୋଜନା ମାଧ୍ୟମରେ ସୁଦୃଢ ହୋଇଥିଲା । ଝରଣା ଦାସ ଓ ଉର୍ବଶୀ ଯୋଶୀ ସେହି ସମୟରେ ନାଟକରେ ଅଭିନେତ୍ରୀ ଭାବରେ ଯୋଗ ଦେଇଥିଲେ । ନାରୀମହଲ କାର୍ଯ୍ୟକ୍ରମରେ ବୀଣାଦେବୀ ପ୍ରଯୋଜକ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା ଆଣିଥିଲେ । ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଶିଶୁ ସଂସାର ସମବେତ ସଙ୍ଗୀତ, ବାଦ୍ୟ ବିଚିତ୍ରା ଆଦି କାର୍ଯ୍ୟକ୍ରମ ଅଧିକ ନିର୍ମାଣ କରାଯାଇ ଶିଶୁମାନଙ୍କ ମଧ୍ୟରେ ଆକାଶବାଣୀକୁ ଲୋକପ୍ରିୟ କରାଯାଇ ପାରିଥିଲା । ପ୍ରଶାନ୍ତ ନନ୍ଦ ଏହି ଶିଶୁ ସଂସାର କାର୍ଯ୍ୟକ୍ରମରୁ ନିଜର ଅଭିନୟ ଆରମ୍ଭ କରିଥିଲେ । କୃଷ୍ଣମୂର୍ତ୍ତିଙ୍କ ଆବିଷ୍କାର ନଦୀୟା ବିହାରୀ ମହାନ୍ତି, ଶିଶୁ ସଂସାର କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡ଼ିଶାରେ 'ବଡ଼ ଭାଇ' ଭାବରେ ପରିଚିତ ହୋଇଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କ ସହଯୋଗରେ ଓଡ଼ିଶୀ ନୃତ୍ୟକୁ ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ମଧ୍ୟ କୃଷ୍ଣମୂର୍ତ୍ତି ପ୍ରୟାସ କରିଥିଲେ ।
ମାନ ସମ୍ମାନ
- ଟାଗୋର ଏକାଡେମୀ ରତ୍ନ ଫେଲୋସିପ - ୨୦୧୨ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ)
- ମିଡିଆ ରତ୍ନ ସମ୍ମାନ - ୨୦୧୧
- ଡି.ଲିଟ - ରେଭେନ୍ସା ବିଶ୍ୱବିଦ୍ୟାଳୟ
- ସଙ୍ଗୀତ ସରସ୍ୱତୀ ସମ୍ମାନ - ବାଳକୃଷ୍ଣ ଦାଶ ଫାଉଣ୍ଡେସନ
- ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ - ଗୁରୁ ଦେବପ୍ରସାଦ ଦାସ ଅନୁଷ୍ଠାନ