Niladri Bhusan Harichandan
Quick Facts
Biography
ନୀଳାଦ୍ରି ଭୂଷଣ ହରିଚନ୍ଦନ (ଜନ୍ମ: ୪ ଡିସେମ୍ବର ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଅଟନ୍ତି । କବିତା, ନାଟକ ଓ ସମାଲୋଚନା ସାହିତ୍ୟରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷାବିତ ।
ବାଲ୍ୟଜୀବନ ଓ ଶିକ୍ଷା
ନୀଳାଦ୍ରି ଭୂଷଣ, ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଓ ମାତାଙ୍କ ନାମ ପଦ୍ମାଳୟା ରାୟସିଂହ ଥିଲା । ସେମାନେ ୯ ଭାଇ-ଭଉଣୀ (୫ ଭାଇ ଓ ୪ ଭଉଣୀ) ଥିଲେ । ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଅଗ୍ରଜ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି, ସେ ୧୯୬୩ ମସିହାରେ ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ କରିଥିଲେ । ତାପରେ ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଓଡ଼ିଆରେ ଅନର୍ସ ରଖି ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ୧୯୬୯ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୮ ମସିହାରେ ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି ସନ୍ଧର୍ଭରେ ଥେସିସ ଲେଖି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡ଼ି ହାସଲ କରିଥିଲେ । ସେହିପରି ୧୯୯୨ ମସିହାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସେ ଡି.ଲିଟ ହାସଲ କରିଥିଲେ । ଡି.ଲିଟ ପାଇଁ ତାଙ୍କର ରିସର୍ଚ୍ଚର ବିଷୟବସ୍ତୁ ଥିଲା ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା ।
ଅଧ୍ୟାପନା
ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ଦେଢ ବର୍ଷ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ, ତାଙ୍କର ଭଦ୍ରକ ମହାବିଦ୍ୟାଳୟକୁ ବଦଳି ହେଇଥିଲା । ଭଦ୍ରକରେ କିଛି ବର୍ଷ ଅଧ୍ୟାପନା କରିବାପରେ ତାଙ୍କୁ ବିଶ୍ୱଭାରତୀ ଶାନ୍ତିନିକେତନଠାରେ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ସେଠାରେ ୩୬ବର୍ଷ ଅଧ୍ୟାପନା କରିବା ପରେ, ୨୦୧୦ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।
ସାହିତ୍ୟ ସର୍ଜନା
ନୀଳାଦ୍ରି ଭୂଷଣ ସ୍କୁଲ ସମୟରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ୨୦ଟି ସମାଲୋଚନା, ୧୦ଟି କବିତା, ୧୦ଟି ଅନୁବାଦ ଓ ୨୫ଟି ନାଟକ ପୁସ୍ତକ ପ୍ରକାଶ ପାଇସାରିଛି । ଏତଦ ଭିନ୍ନ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ଛପା ହୁଏ ।
ନାଟକ
- ଭୀମଭୋଇଙ୍କ ସନ୍ଧାନରେ
- ସ୍ୱର୍ଗାରୋହ
- ମୁଣ୍ଡ ଉପରେ ଛାତ
- କଲୁରୀ ବେଣ୍ଟ
- ସତ୍ୟ ସଂଶୟ ସାଲବେଗ
କବିତା
- ନୀଳ ଚନ୍ଦନର ଭୁଲ ଠିକଣା
- ସମ୍ବୋଧନ ହୀନ
- ନିର୍ବୋଧ ଲୋକର ପୃଥିବୀ
- ଅଚାନକ ବୃହନାଳା
- ଇତିହାସ ଲେଖିବାର ମୁହୁର୍ତ୍ତ
- ସମୁଦ୍ର ନିରୋତ୍ତର
- ଆଉ ଗୋଟିଏ ଜନ୍ମର ଅପେକ୍ଷା
- ସୌନ୍ଦର୍ଯ୍ୟ ଖୋଜି ଖୋଜି ଇଶ୍ୱର
ସମ୍ମାନ ଓ ପୁରସ୍କାର
- ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
- ବିଷୁବ ପୁରସ୍କାର - ୧୯୯୭
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୧ (ଭିନ୍ନ ସମୟ ଭିନ୍ନ ଦୃଷ୍ଟି)
- ଭାରତୀୟ ଭାଷା ପରିଷଦ ରଜତ ଜୟନ୍ତୀ ସମ୍ମାନ - ୧୯୯୯
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର - ୨୦୦୨
- ଆକାଶବାଣୀ କଟକ ପୁରସ୍କାର
- ଜୀବନ ରଙ୍ଗ ପୁରସ୍କାର
- ଭାନୁଜୀ ରାଓ କବିତା ପୁରସ୍କାର (ଗଙ୍ଗାଧର ରଥ ଫାଉଣ୍ଡେସନ)
- ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ଶାରଳା ସାହିତ୍ୟ ସଂସଦ)