Mohini Mohan Patnaik
Quick Facts
Biography
ମୋହିନୀ ମୋହନ ପଟ୍ଟନାୟକ(ଜନ୍ମ : ୨୩ ସେପ୍ଟେମ୍ବର ୧୯୪୫) ଜଣେ ଓଡ଼ିଆ ବଂଶୀବାଦକ ଓ ଗୁରୁ ଅଟନ୍ତି । ବିନା ଗୁରୁରେ ବଂଶୀବାଦନ ଶିଖିଥିବା ଏହି ସଙ୍ଗୀତଜ୍ଞ ୨୦୦୬ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ହୋଇଥିଲେ ।
ବାଲ୍ୟଜୀବନ ଓ ଶିକ୍ଷା
ମୋହିନୀ ମୋହନ ୧୯୪୫ମସିହାରେ ପୁରୀର ମାର୍କଣ୍ଡେସ୍ୱର ସାହିର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା କ୍ଷେତ୍ରମୋହନ ପଟ୍ଟନାୟକ ଜଣେ ଆଡ଼ଭୋକେଟ ଥିଲେ । ମାତାଙ୍କ ନାମ ଥିଲା ପଦ୍ମାବତୀ ପଟ୍ଟନାୟକ । ଜେଜେବାପା ଥିଲେ ଜଜ୍ । ପିତାଙ୍କ ଇଚ୍ଛାଥିଲା ମୋହିନୀ ମୋହନ ମଧ୍ୟ ଓକିଲାତି କରନ୍ତୁ, କିନ୍ତୁ ମୋହିନୀଙ୍କୁ ପିଲାଦିନୁ ସଙ୍ଗୀତରେ ସ୍ପୃହା ଥିଲା । ପୁରୀ ବେଳାଭୂମିରେ ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ଜଣେ ବଂଶୀ ବିକ୍ରେତାଠାରୁ ବଂଶୀଟିଏ କିଣି ତାକୁ ନିଜେ ବଜେଇ ଶିଖିଥିଲେ । ପିଲାଦିନେ ସିଂହାରୀ ଶ୍ୟାମସୁନ୍ଦର କର, ସୀତାର ବାଦକ ରମା ପ୍ରତିହାରୀ ଓ କାଶୀନାଥ ପୂଜାପଣ୍ଡାଙ୍କଠାରୁ ରାଗରାଗିଣୀ ଓ ଅଳଙ୍କାର ଆଦି ବାବଦରେ କିଛି ଶିକ୍ଷାଲାଭ କରିଥିଲେ । ପରେ ସେ ଭୁବନେଶ୍ୱର ଆସି କ୍ୟାପିଟାଲ ହାଇସ୍କୁଲରେ ପାଠ ପଢିଲେ ଓ ଲଳିତ କଳାପୀଠ ସହିତ ତାଙ୍କର ଯୋଗାଯୋଗ ଆରମ୍ଭ ହୋଇଥିଲା । ଲଳିତ କଳାପୀଠକୁ ଆସୁଥିବା ବିଭିନ୍ନ କଳାକାରଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।
କର୍ମଜୀବନ
ଭୁବନେଶ୍ୱର ଆସିବାପରେ ମୋହିନୀ ମୋହନଙ୍କ ଜଣେ ବଂଶୀବାଦକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ପ୍ରଥମେ ସେ ଦୈନିକ ୨ଟଙ୍କାରୁ ୫ଟଙ୍କା ରୋଜଗାର କରୁଥିଲେ । କ୍ରମେ ସେ ଓଡ଼ିଶୀ ନୃତ୍ୟରେ ବଂଶୀ ବଜେଇବା ଆରମ୍ଭ କରିଥିଲେ । [ଆକାଶବାଣୀ କଟକ]] କେନ୍ଦ୍ରରୁ ସେ "ବି" ଗ୍ରେଡ଼ କଳାକାର ଭାବରେ ମାନ୍ୟତା ହାସଲ କରିଥିଲେ । ୧୯୭୦ମସିହାରେ ଭାରତ ସରକାରଙ୍କଦ୍ୱାରା ବଛାହୋଇ, ସେ ଜାପାନ ଯାଇଥିଲେ ଏକ୍ସପୋ-୭୦ରେ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟରେ ବଂଶୀବାଦନ କରିବା ପାଇଁ । ଏହାଥିଲା ତାଙ୍କର ପ୍ରଥମ ବିଦେଶ ଗ୍ରସ୍ଥ । ୭୦-୮୦ ଦଶକ ମଧ୍ୟସେ ସେ ସଂଯୁକ୍ତାଙ୍କ ସହ ଦେଶ ବିଦେଶ ସବୁଠାରେ ବଂଶୀବାଦନ କରୁଥିଲେ । ୮୦ଦଶକ ପରେ ଜଣେ ସଙ୍ଗୀତଜ୍ଞଭାବରେ ତାଙ୍କର ଲୋକପ୍ରିୟତା ବଢିଥିଲା ଓ ସେ ଏକକ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟ କରିଛନ୍ତି ।
ସମ୍ମାନ ଓ ପୁରସ୍କାର
- ସୁରମଣି ସମ୍ମାନ - ୧୯୮୦
- ପଦ୍ମକେଶରୀ ପୁରସ୍କାର - ୧୯୮୫
- ବୈଶାଖୀ ସମ୍ମାନ - ୨୦୦୨
- ସାରଳା ସମ୍ମାନ - ୨୦୦୩
- ସାଲବେଗ ସମ୍ମାନ - ୨୦୦୩
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୦୬
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୦
- ଜାତୀୟ କଳାରତ୍ନ ପୁରସ୍କାର - ୨୦୧୩
- ତାଳବାଦ୍ୟ ସମ୍ମାନ - ୨୦୧୩