Mandakini Behera
Quick Facts
Biography
ମନ୍ଦାକିନୀ ବେହେରା (ଜନ୍ମ: ୨୫ ଅଗଷ୍ଟ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ୧୨ଶ ଅଧିବେଶନକୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୨ ନୟାଗଡ଼ ବିଧାନ ସଭା ଉପ ନିର୍ବାଚନ ସମୟରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ମନ୍ଦାକିନୀ ବେହେରା ୧୯୪୭ ମସିହାର ଅଗଷ୍ଟ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଅଲେଖ ଚନ୍ଦ୍ର ଦାସ । ସେ କଳାରେ ସ୍ନାତକ କରିବା ପରେ ଶିକ୍ଷାରେ ସ୍ନାତକ (ବି. ଏଡ୍) କରିଥିଲେ । ମନ୍ଦିକିନୀ ଭାଗବତ ବେହେରାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଚାରି ଜଣ ଝିଅ ଅଛନ୍ତି । ଭାଗବତ ବେହେରା ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ ମସିହାରେ ଯଥାକ୍ରମେ ସୋସିଆଲିଷ୍ଟ ପାର୍ଟି, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଆଦି ରାଜନୈତିକ ଦଳରୁ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶ ବିଧାନ ସଭାର ୬ଷ୍ଠ, ୭ମ, ୯ମ, ୧୦ ଓ ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାର ବିଭିନ୍ନ ମନ୍ତ୍ରୀମଣ୍ଡଳରେ ପଦ୍ମନାଭ ୧୯୯୦ରେ, ୧୯୯୧ରେ, ୧୯୯୩ରେ ଏବଂ ୨୦୦୦ ମସିହାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।
ରାଜନୈତିକ ଜୀବନ
ମନ୍ଦାକିନୀ ତାଙ୍କର ପତି ଭାଗବତ ବେହେରାଙ୍କର ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ । ୨୦୦୨ ମସିହା ଜୁନ ମାସ ୩ ତାରିଖ ଦିନ ପଦ୍ମନାଭଙ୍କର ମୃତ୍ୟୁ ହୋଇଥିଲା । ସେତେବେଳକୁ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୨ଶ ସଭା ବିଧାୟକ ତଥା ମନ୍ତ୍ରୀ ଥିଲେ । ତେଣୁ ତାଙ୍କର ମୃତ୍ୟୁ ପରେ ନୟାଗଡ଼ ବିଧାନ ସଭା ଆସନଟି ଖାଲି ପଡ଼ିଥିଲା । ଫଳରେ ମନ୍ଦାକିନୀ ଏହି ଖାଲି ପଡ଼ିଥିବା ଆସନ ପାଇଁ ବିଜୁ ଜନତା ଦଳର ସଦସ୍ୟ ଭାବରେ ନିର୍ବାଚନ ଲଢ଼ିଥିଲେ ।
ମନ୍ଦାକିନୀ ୨୦୦୨ ମସିହାରେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୨ଶ ଓଡ଼ିଶା ବିଧାନ ସଭାରେ ୪ ଜୁଲାଇ ୨୦୦୨ରୁ୨୦୦୪ ଯାଏଁ ସେହି ବିଧାନ ସଭା ଭଙ୍ଗ ହେବାଯାଏଁ ବିଧାୟିକା ଭାବରେ ରହିଥିଲେ । ଏହି ବିଧାନ ସଭାରେ ସେ ଜଙ୍ଗଲ ସୁରକ୍ଷା ଗୃହ କମିଟି, ମହିଳା ଓ ଶିଶୁ ବିକାଶ କଲ୍ୟାଣ ଗୃହ କମିଟି, ପଠାଗାର କମିଟି ଆଦିରେ ୨୦୦୩ ମସିହାରୁ ୨୦୦୪ ମସିହାଯାଏଁ ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସବୁଠାରୁ ଅଧିକ ସଂଖ୍ୟକ ମହିଳା ସଭ୍ୟା ଥିଲେ । ଏହି ୧୫ ଜଣ ନିର୍ବାଚିତ ମହିଳାମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସର ଉଷାରାଣୀ ପଣ୍ଡା, ମମତା ମାଢ଼ୀ ଓ ପରମା ପୂଜାରୀ ଥିଲେ, ଭାରତୀୟ ଜନତା ପାର୍ଟିର ଦ୍ରୌପଦୀ ମୁର୍ମୁ ଓ ନିବେଦିତା ପ୍ରଧାନ ଥିଲେ ଏବଂ ବିଜୁ ଜନତା ଦଳର କମଳା ଦାସ, ପ୍ରମିଳା ମଲ୍ଲିକ, ମନ୍ଦାକିନୀ ବେହେରା, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ଭି. ସୁଜ୍ଞାନ କୁମାରୀ ଦେଓ, ଉଷା ଦେବୀ, ରୋଷନୀ ସିଂହଦେଓ, ବିଷ୍ଣୁପ୍ରିୟା ବେହେରା ଓ ଅଞ୍ଜଳି ବେହେରା ଥିଲେ ।