

Maguni Charan Kuanr
Quick Facts
Biography
ଓଡ଼ିଶାରେ ସୂତା କଣ୍ଢେଇ,କାଠି କଣ୍ଢେଇ,ଛାୟା କଣ୍ଢେଇ ଓ ହାତ କଣ୍ଢେଇ ନାମରେ ଚାରିପ୍ରକାର କଣ୍ଢେଇ ନାଚର ପ୍ରଚଳଣ ଦେଖିବାକୁ ମିଳେ । ମାଗୁଣି ଚରଣ କୁଅଁର,କାଠି କଣ୍ଢେଇ ନାଚର ଜଣେ ଦକ୍ଷ ବିନ୍ଧାଣୀ । ଓଡ଼ିଶାରେ କାଠି କଣ୍ଢେଇ ନାଚକୁ ବଞ୍ଚେଇ ରଖିବାରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।ପିଲାଦିନରୁ ମାଟି କଣ୍ଢେଇ ଗଢିବାର ଘର ପରମ୍ପରାକୁ ଆଦରୀ ନେଇଥିବା ମାଗୁଣି ଚରଣ, ଦିନରେ ମାଟି କଣ୍ଢେଇ ଗଢୁଥିଲେ ଓ ରାତିରେ ଗାଁ ରାମଲୀଳାରେ ଗୀତ ଗାଉଥିଲେ ଓ ବାଜା ବଜଉଥିଲେ । ୧୬ ବର୍ଷ ବୟସରେ, ତାଙ୍କ କଣ୍ଢେଇର ଜଣେ ଗ୍ରାହକ, ମକ୍ରଧ୍ଵଜ ଝରାଙ୍କ ପରାମର୍ଶରେ, ମାଗୁଣି ଚରଣ କାଠି କଣ୍ଢେଇ ନାଚକୁ ଆଦରି ନେଇଥିଲେ ଓ ଏ ପର୍ଯ୍ୟନ୍ତ ଏହି କଳା ପ୍ରଦର୍ଶନ କରିଆସୁଛନ୍ତି ।
୧୯୫୫ ମସିହାରେ, ମାଗୁଣି ଚରଣ ନିଜର ୫ ଜଣ ସହାୟକ ଓ ମାତ୍ର ୪ଟଙ୍କା ପୁଞ୍ଜିକୁ ଆଧାର କରି ବିଶ୍ଵକର୍ମା କଳାକୁଞ୍ଜ ନାମକ ସଂସ୍ଥା ଗଠନକରି, କାଠି କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ । ମାଗୁଣି ଚରଣ ଏକାଧାରରେ କଣ୍ଢେଇ ନିର୍ମାଣ କରିବା, ଯାତ୍ରାର ସଂଳାପ ଲେଖିବା ଓ ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶନା ଦେବା ଆଦି କାମ କରିପାରିଥାନ୍ତି । ସେ ପୁରୁଷ, ମହିଳା, ପଶୁପକ୍ଷୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କଣ୍ଠସ୍ଵର ମଧ୍ୟ ସୃଷ୍ଟି କରିପାରନ୍ତି । ସାମୟିକ କଥାବସ୍ତୁ ଓ ପୌରାଣିକ ଗାଥାକୁ ନେଇ ସେ କଣ୍ଢେଇ ନାଚ ପରିବେଷଣ କରିଥାନ୍ତି ।
ରାଜ୍ୟ ଓ ରାଜ୍ୟ ବାହାରେ ବହୁ ସ୍ଥାନରେ କଣ୍ଢେଇ ନାଚ ପରିବେଷଣ କରି ବହୁ ପୁରସ୍କାର ଜିତି ସାରିଥିବା ମାଗୁଣି ଚରଣ କିନ୍ତୁ ନିଜ କଳାର ଭବିଷ୍ୟତକୁ ନେଇ ସନ୍ଦିହାନ ସ୍ଥିତିରେ ଅଛନ୍ତି । ପୃଷ୍ଟପୋଷକତାର ଅଭାବ ଓ ପରପୁରୁଷମାନଙ୍କର ଏ କଳାପ୍ରତି ଅନାଗ୍ରହ ଯୋଗୁ, ଏ କଳା ଲୋପପାଇଯିବାର ଆଶଂକା ରହିଛି ।
ଗାଲେରି
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
ମାଗୁଣି ଚରଣ କୁଅଁରଙ୍କ ଅନୁଷ୍ଠାନ ଉତ୍କଳ ବିଶ୍ଵକର୍ମା କଳାକୁଞ୍ଜର ମଞ୍ଚ
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
ସମ୍ମାନ ଓ ପୁରସ୍କାର
- ୧୯୮୪- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୦୪ - କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୧୨ - ଉପେନ୍ଦ୍ର ଭଞ୍ଜ ସମ୍ମାନ
- ୨୦୧୪ - ବୁଦ୍ଧ ସମ୍ମାନ