Gopal Ghosh
Quick Facts
Biography
ଗୋପାଳ ଘୋଷ (୧୯୨୦-୨୦୧୫) ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ୧ ମଇ ୧୯୨୦, ଶନିବାର ଦିନ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରର ଏକ ଜମିଦାର ପରିବାରରେ ଗୋପାଳ ଘୋଷ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିବାବେଳେ ଭକ୍ତ ଧ୍ରୁବ ନାଟକରେ ମୁଖ୍ୟ ଚରିତ୍ର ଧ୍ରୁବ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୦୦ରୁ ଅଧିକ ଡ୍ରାମାରେ ଅଭିନୟ କରିଥିବାବେଳେ ଭାରତୀ ଥିଏଟର, ଜନତା ରଙ୍ଗ ମଞ୍ଚ, ଏଚ୍ଏମ୍ଭି ଗ୍ରାମଫୋନ୍ରେ ନିୟମିତ କଳାକାର ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ଜଗନ୍ନାଥ ଥିଲା ତାଙ୍କର ଅଭିନୀତ ପ୍ରଥମ ସିନେମା । ସେଥିରେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସିନେମା ହଲ୍ ନଥିଲା ସେହି ସମୟରେ ସେ ୧୨ଟି ଭ୍ରାମ୍ୟମାଣ ଥିଏଟର ଅାରମ୍ଭ କରିଥିଲେ । ୨୦୦୪ରେ ଇଟିଭିରେ ପ୍ରସାରିତ ବୁଢା ଶଙ୍ଖାରିରେ ୮୪ ବର୍ଷ ବୟସରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ସେ ବାଳକୃଷ୍ଣ ଦାସ, ଭୁବନେଶ୍ୱରୀ ମିଶ୍ର, ରାଖାଲ ଚନ୍ଦ୍ର ମହାନ୍ତି,ଶ୍ୟାମ ସୁନ୍ଦର ଦାସ ପ୍ରମୁଖଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମେ ସୁଯୋଗ ଦେଇଥିଲେ । ସେହିପରି ଶ୍ୟାମାମଣି ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ପାର୍ବତୀ ଘୋଷ, ଝରଣା ଦାସଙ୍କୁ ସେ ଚଳଚ୍ଚିତ୍ର ଜଗତରେ ନୂତନ ପରିଚୟ ଦେଇଥିଲେ । ସେ ଆମରି ଗାଁ ଝିଅ, ଶ୍ରୀ ଲୋକନାଥ, ଭାଇ ଭାଉଜ, ଘର ସଂସାର ଓ ଅମର ପ୍ରେମରେ ନିର୍ଦ୍ଦେଶନା ଦେଇଥିଲେ ।
ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା । ୧୯୪୯ରେ କୋଣାର୍କ ଉପରେ ଅାଧାରିତ ବ୍ଲାକ୍ ପାଗୋଡା ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା । ଭାରତରେ ଥିବା ଅାମେରିକାର ତତ୍କାଳୀନ ରାଷ୍ଟଦୂତ ଏଲ୍ ଅାଣ୍ଡରସନ୍ ଏଥିରେ ପ୍ରଭାବିତ ହୋଇ ତାହାକୁ ଅାମେରିକା ପଠାଇଥିଲେ ।ଗୋପାଳ ଘୋଷ ୪୦ରୁ ଅଧିକ ଡକୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି । ଦୂରଦର୍ଶନ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ବହୁ ଡକୁମେଣ୍ଟାରୀ ନିର୍ମାଣ କରି ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲୋ ହୀରାକୁଦ ବନ୍ଧ ଶିଳାନ୍ୟାଶ, ନୂଅା ରାଜଧାନୀ, ସିଅାର୍ଅାର୍ଅାଇ୍, ଅଲ୍ ଇଣ୍ଡିଅା ରେଡିଓ ଓ ହାଇକୋର୍ଟର ଲୋକାର୍ପଣର ଡକୁମେଣ୍ଟାରୀରେ ନିର୍ଦ୍ଦେଶନା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀଉପରେ ଅାଧାରିତ ଏଇ ମାଟିର ସନ୍ତାନ, ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରାମାଣିକ ଚିତ୍ର ମଧ୍ୟ ନିର୍ମାଣ କରିଥିଲେ । କେବଳ ଅଭିନୟ ନୁହେଁ ଖେଳରେ ମଧ୍ୟ ଗୋପାଳ ଘୋଷଙ୍କର ବେଶ ଦକ୍ଷତା ରହିଥିଲା । ୧୯୩୬ରୁ ୧୯୫୪ ମଧ୍ୟରେ ରୋଭର୍ସ କ୍ଲବ, କଟକ ଫୁଟବଲ କ୍ଲବ, ୟଙ୍ଗ୍ ଉତ୍କଳ କ୍ଲବ, ଓଡ଼ିଶା ଅାଥଲେଟିକ୍ କ୍ଲବର ସେ ସକ୍ରିୟ ସଦସ୍ୟ ଥିଲେ ।
ପୁରସ୍କାର ଓ ସମ୍ମାନ
୧୯୬୦ରେ ଶ୍ରୀ ଲୋକନାଥ ଫିଲ୍ମର ନିର୍ଦ୍ଦେଶନା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ମିଳିଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ, କବିବର ଗୌରୀଶଙ୍କର ପୁରସ୍କାର ଓ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ପରି ସେ ଶହେରୁ ଅଧିକ ପୁରସ୍କାର ପାଇଥିଲେ ।
ମୃତ୍ୟୁ
ଅଭିନେତା ଗୋପାଳ ଘୋଷ ୨୭ ଫେବୃଆରୀ ୨୦୧୫, ଶୁକ୍ରବାର ଦିନ ଭୋର ୪ଟା ୫୦ ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୯୪ ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ଼ ବେଡିକାଲକୁ ନିଅାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଚଳଚ୍ଚିତ୍ର ତାରକା ଓ ଶୁଭେଚ୍ଛୁ ନନ୍ଦି ସାହି ସ୍ଥିତ ବାସ ଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଖାନନଗରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସେଠାରେ ତାଙ୍କ ବଡପୁଅ ଅଭିଜିତ୍ ମୁଖାଗ୍ନୀ ଦେଇଥିଲେ ।
ଆଧାର
- ↑ "Odisha's veteran actor-director Gopal Ghosh passes away". Odisha Sun Times. Retrieved 28 February 2015.
- ↑ "Filmmaker Gopal Ghosh Passes Away". The New Indian Express. Retrieved 28 February 2015.
ଅଧିକ ତଥ୍ୟ
- ଗୋପାଳ ଘୋଷ (ଇଣ୍ଟରନେଟ ମୁଭି ଡାଟାବେସରେ)