Chandra Mohana Maharana
Quick Facts
Biography
ଚନ୍ଦ୍ରମୋହନ ମହାରଣା (୧୮୬୯-୧୯୨୯) ଜଣେ ଓଡ଼ିଆ ଶିକ୍ଷାବିତ୍ ଓ ସଙ୍ଗଠକ ଥିଲେ । ତାଙ୍କ ରଚନାବଳୀ ମଧ୍ୟରେ କବିତା ପୁସ୍ତକ ନବୋଦ୍ୟମ (୧୮୮୮) ଏବଂ ପାଠ୍ୟପୁସ୍ତକ ଚନ୍ଦ୍ରମୋହନ କଥାବଳୀ, ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ) ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ) ଆଦି ଅନ୍ୟତମ । ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି କଟକ ଟ୍ରେନିଂ ସ୍କୁଲକୁ ବଦଳି ହୋଇଥିଲେ ଏବଂ ସେଠାରେ ମଧୁସୂଦନ ରାଓଙ୍କ ସହ ମିଶି ୧୮୯୩ ଡିସେମ୍ବର ୧୨ରେ "ଆଲୋଚନାସଭା" ନାମକ ଓଡ଼ିଆ ସାହିତ୍ୟ ଆଲୋଚନା ଗଠନରେ ମୁଖ୍ଯ ଭୂମିକା ନିଭାଇଥିଲେ । ପରେ ତାହା ୧୯୦୩ ମଇ ୭ରେ ଉତ୍କଳ ସାହିତ୍ୟ ସମାଜରେ ପରିଣତ ହେଲା ଓ ସେ ତାହାର ସମ୍ପାଦକ ହୋଇଥିଲେ । ସେ ୧୯୦୩ରେ ସେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଚନ୍ଦ୍ରମୋହନ ମହାରଣା ୧୮୬୯ ମସିହାରେ ବାଲେଶ୍ୱର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ପୁରୁଷୋତ୍ତମପୁର ଗ୍ରାମରେ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଦେବକୀ ଓ ପିତାଙ୍କର ଅନାଦି । ବାପା ମହାରଣା କୌଳିକ ସ୍ୱର୍ଣ୍ଣକାର ବ୍ୟବସାୟ କରୁଥିଲେ । ରେମୁଣାର ଭର୍ଣ୍ଣାକୁଲାର ସ୍କୁଲ (ଦେଶୀୟ ଭାଷା ବିଦ୍ୟାଳୟ)ରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା ଓ ୧୮୮୦ରେ ସରିଥିଲା । ସେ ଏହି ବିଦ୍ୟାଳୟରୁ ପାସକରି ଛାତ୍ରବୃତ୍ତି ପାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ପରେ ୧୮୮୭ରେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରାଦେଶିକ ବୃତ୍ତି ପାଇ ସେଠାରେ ଏଫ୍.ଏ. ପଠନ ଆରମ୍ଭ କରିଥିଲେ । ୧୮୮୭ରେ ସେ ଏଫ୍.ଏ.ରେ ପାସକରିଥିଲେ । ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ୨୦ ବର୍ଷ ବୟସରେ ୧୮୯୦ ଖ୍ରୀଷ୍ଟାବ୍ଦରେ ବି.ଏ. (କଳା ସ୍ନାତକ) ପାସ୍ କରିଥିଲେ । ପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାରେ ରାସମଣି ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା ।
ବୃତ୍ତିଗତ ଜୀବନ
ବି.ଏ. ପଢ଼ାପରେ ସେ ବଙ୍ଗଳା ପ୍ରଶାସନ ସେବା ପାଇଁ ପ୍ରସ୍ତୁତି କରିବା ବେଳେ ସ୍ଥାନୀୟ ସ୍କୁଲଗୁଡ଼ିକ ପାଇଁ ତତ୍କାଳୀନ ଜଏଣ୍ଟ ଇନ୍ସପେକ୍ଟର ଭାବେ ବାଲେଶ୍ୱରରେ ଅବସ୍ଥାପିତ ରାଧାନାଥ ରାୟ ତାଙ୍କୁ ସେଥିରୁ ନିବୃତ୍ତ କରାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନିଯୁକ୍ତି ଦେଇଥିଲେ । ସେଠାରୁ ତାଙ୍କର ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା । ଦୁଇବର୍ଷର ଶିକ୍ଷକତା ପରେ କଟକ ଟ୍ରେନିଂ ସ୍କୁଲକୁ ଚନ୍ଦ୍ରମୋହନଙ୍କ ବଦଳି ହୋଇଥିଲା । ସେଠାରେ ୧୮୯୩ ମସିହାରେ ଦ୍ୱାରିକାନାଥ ଚକ୍ରବର୍ତ୍ତୀଙ୍କ ଅବସର ଅନ୍ତେ ମଧୁସୂଦନ ରାଓ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିଲେ । ପରେ ୧୯୦୩ରେ ସେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିଲେ । ସେଠାରେ ତାଙ୍କର ଛାତ୍ରମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ର ଥିଲେ ଅନ୍ୟତମ । ଗୋଦାବରୀଶ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ଯେ ନିଜ ଆର୍ଥିକ ଅସ୍ୱଚ୍ଛଳତା ହେତୁ ସେ ଚନ୍ଦ୍ରମୋହନଙ୍କ ଘରେ ପୂଜାହାରୀ ଭାବେ ରୋଷେଇ କରି ଖାଦ୍ୟପୋଷାକ ଯୋଗାଡ଼ କରିଥିଲେ ।
ସାହିତ୍ୟ ରଚନା
୧୮୮୭ରେ ଏଫ୍.ଏ. ଶ୍ରେଣୀରେ ପଢ଼ାବେଳେ ସେ ରଚନା କରିଥିବା କେତେଗୋଟି କବିତା ମଧୁସୂଦନ ରାଓ ସମ୍ପାଦିତ ସଂସ୍କାର ପତ୍ରିକାରେ ପ୍ରକାଶ ପାଇଥିଲା । ବି.ଏ. ଶ୍ରେଣୀରେ ଛାତ୍ର ଅବସ୍ଥାରେ ସେ ଉକ୍ତ କବିତାଗୁଡ଼ିକୁ ଏକାଠି କରି ତାଙ୍କର ପ୍ରଥମ କବିତା ପୁସ୍ତକ ନବୋଦ୍ୟମ ୧୮୮୮ରେ ଓଡ଼ିଶା ପ୍ରିଣ୍ଟିଂ କର୍ପୋରେସନଦ୍ୱାରା ପ୍ରକାଶ କରାଇଥିଲେ । ସେତେବେଳେ ରାଜକର୍ମଚାରୀମାନଙ୍କ ଲେଖା ପ୍ରକାଶ ଉପରେ କଟକଣା ଥିବାରୁ ସେ ଅନେକ ଲେଖା ଛଦ୍ମନାମରେ ପ୍ରକାଶ କରିଥିଲେ । ପରେ ଉତ୍କଳ ସାହିତ୍ୟ ପତ୍ରିକା ପ୍ରକାଶ ପାଇଲା ପରେ ଆରମ୍ଭରୁ ତାଙ୍କର ଲେଖା ଅଧିକ ପ୍ରକାଶ ପାଇଲା । ତେବେ ସେ ଜଣେ କବି ଭାବେ ବିଶେଷ ସଫଳ ହୋଇନଥିଲେ । ସେ ରଚନା କରିଥିବା ତିନିଗୋଟି ଶିଶୁ ସାହିତ୍ୟ ଓ ଶିଶୁ ପାଠ୍ୟପୁସ୍ତକ ଥିଲା ଚନ୍ଦ୍ରମୋହନ କଥାବଳୀ,, ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ) ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ) । କଥାବଳୀ ଏକ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା । ଇଂଲଣ୍ଡର ମ୍ୟାକ୍ମିଲାନ କମ୍ପାନୀ ଅନୁରୋଧକ୍ରମେ ସେ ଏହାର ପାଣ୍ଡୁଲିପି ଶିକ୍ଷକ ଭାବେ ଚାକିରି କରିବା ପରେ ତିଆରି କରିଥିଲେ ଓ କମ୍ପାନୀ ତାଙ୍କଠାରୁ ଅଳ୍ପ ମୂଲ୍ୟରେ ମାଲିକାନାସ୍ୱତ୍ୱ କିଣିନେଇଥିଲା । ଏଥିରେ ତାଙ୍କର କେତୋଟି ମୌଳିକ କବିତା ଯଥା "ଖଣ୍ଡଗିରି", "ଅପୂର୍ବ କାରାବଦ୍ଧ ପୁରୁଷର ପତ୍ର", "ଶିଶୁ ବିୟୋଗ" ଆଦି ପ୍ରକାଶପାଇଥିଲା । ତାଙ୍କର କବିତାରେ ବାସ୍ତବତାବୋଧ, ପ୍ରକୃତି ଚିତ୍ରଣ, ମାନବୀୟ ଘଟଣା ଆଦି ଦେଖିବାକୁ ମିଳିଥାଏ । ତା' ଛଡ଼ା କ୍ଷୁଦ୍ରଗଳ୍ପ, ଗୀତିଧର୍ମୀ କବିତା, ପ୍ରବନ୍ଧ, ଶିଶୁପାଠ୍ୟୋପଯୋଗୀ ଗଳ୍ପ ଆଦି ମଧ୍ୟ ଏଥିରେ ପ୍ରକାଶ ପାଇଥିଲା । ବହିଟିକୁ ମାକ୍ସମିଲାନ ବିଭିନ୍ନ ଭାଗରେ ବିଭକ୍ତ କରି ହିନ୍ଦୀ ଓ ତେଲୁଗୁ ଭାଷାରେ ମଧ୍ୟ ଛାପି ଥିଲା । ଏହି ପୁସ୍ତକରେ ତାଙ୍କର ମୌଳିକ ରଚନାରେ ମଧୁସୂଦନ ରାଓଙ୍କ ରଚିତ ପାଠ୍ୟପୁସ୍ତକ ଶିଶୁବୋଧ ଓ ବାଳବୋଧରୁ ଆନୀତ ରଚନା ତଥା ସାହିତ୍ୟ ପ୍ରସଙ୍ଗ, ପ୍ରବନ୍ଧମାଳା ଆଦିରେ ସ୍ଥାନୀତ ବିଷୟର ପ୍ରଭାବ ଦେଖାଯାଏ । ମୌଳିକ ରଚନା ବାଦ ଅନେକ ଲେଖା ଇଂରାଜୀ, ବଙ୍ଗଳା, ସଂସ୍କୃତରୁ ଅନୂଦିତ । ଏଥିରେ ଗଦ୍ୟାଂଶରେ ଜ୍ଞାନ-ବିଜ୍ଞାନମୂଳକ କ୍ଷୁଦ୍ର ପ୍ରବନ୍ଧମାନ ସ୍ଥାନପାଇଥିବାରୁ ପୁସ୍ତକଟି ଦୀର୍ଘକାଳ ଧରି ଶିଶୁଙ୍କ ପାଠ୍ୟପୁସ୍ତକ ଭାବେ ପ୍ରଚଳିତ ଥିଲା । କବିତା ଛଡ଼ା ସେ ପ୍ରବନ୍ଧ ଓ ଧାରାବାହିକମାନ ଉତ୍କଳପ୍ରଭା, ଉତ୍କଳ ସାହିତ୍ୟ, ପ୍ରଜାବନ୍ଧୁ, ସଂସ୍କାରକ, ନବସମ୍ବାଦ, ସମ୍ବଲପୁର ହିତୈଷିଣୀ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୦୩ ମସିହା ବେଳକୁ ପାଠକମାନେ ଭାଗବତ ଟୀକାକାର ଶ୍ରୀଧର ସ୍ୱାମୀଙ୍କ ଜନ୍ମସ୍ଥାନ ରେମୁଣା ବୋଲି ଜାଣିନଥିଲେ ଓ ସେ ପ୍ରଥମ କରି ଉତ୍କଳ ସାହିତ୍ୟ ଷଷ୍ଠ ଭାଗ, ଚତୁର୍ଥ ସଂଖ୍ୟାରେ ଏକ ଆଲୋଚନା ମାଧ୍ୟମରେ ଏ ତଥ୍ୟ ଲୋକଲୋଚନକୁ ଆଣିଥିଲେ ।
ଉତ୍କଳ ସାହିତ୍ୟ ସମାଜ ସହ-ସ୍ଥାପନା ଓ ଉତ୍କଳ ସାହିତ୍ୟ ସମ୍ପାଦକତା
ସ୍କୁଲର ତତ୍କାଳୀନ ଅଧ୍ୟକ୍ଷ ମଧୁସୂଦନ ରାଓ ୧୮୯୨–୧୮୯୩ ମସିହା ଡିସେମ୍ବର ମାସ ୧୨ ତାରିଖରେ ଛାତ୍ରଛାତ୍ରୀମାନଙ୍କ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ "ଆଲୋଚନାସଭା" ନାମକ ଏକ ସଭା ଗଠନ କରାଇଥିଲେ । ଏହା ପରେ ବ୍ୟାପକ ହୋଇ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର କେନ୍ଦ୍ର ହୋଇଥିଲେ । ପ୍ରତି ଶନିବାରରେ ଏହି ସଭାର ବୈଠକ ବସିବାରେ ଲାଗିଲା । ଟ୍ରେନିଂ ସ୍କୁଲର ସମସ୍ତ ଛାତ୍ର ଓ ଶିକ୍ଷକ ଏହି ସଭାର ସଭ୍ୟ ହେଲେ ଏବଂ ଅନ୍ୟ ସ୍କୁଲର ଶିକ୍ଷକମାନେ ମଧ୍ୟ ଏଥିରେ ଭାଗନେବାକୁ ଲାଗିଲେ । ଏହି ସଭାର ପ୍ରତିଷ୍ଠା ଦିବସଠାରୁ ଦୀର୍ଘ ନଅବର୍ଷ ଯାଏଁ ମଧୁସୂଦନ ଏହାର ସଭାପତି ଓ ଚନ୍ଦ୍ରମୋହନ ମହାରଣା ସମ୍ପାଦକ ରହିଥିଲେ । ଏହି କେନ୍ଦ୍ରରେ ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆଲୋଚନା ହେଉଥିଲା । ୧୯୦୩ ମସିହା ମଇ ମାସ ୭ ତାରିଖରେ ଉତ୍କଳ ସାହିତ୍ୟ ସମାଜ ବିଧିବଦ୍ଧ ଭାବେ ଗଠିତ ହୋଇଥିଲା । ଆଲୋଚନାସଭାରେ ସାହିତ୍ୟ ଚର୍ଚ୍ଚା ଅବକାଶରେ ପ୍ରକାଶ କ୍ଷେତ୍ର ପତ୍ରିକାର ଅଭାବ ଅନୁଭୂତ ହେବାରୁ ଟ୍ରେନିଂ ସ୍କୁଲଠାରେ ମଧୁସୂଦନ, ସାଧୁ ଚରଣ ରାୟ, ଚନ୍ଦ୍ରମୋହନ, ଫକୀର ମୋହନ ସେନାପତି, କୃଷ୍ଣପ୍ରସାଦ ଚୌଧୁରୀ ଓ ବିଶ୍ୱନାଥ କର ମିଶି ଉତ୍କଳ ସାହିତ୍ୟ ପତ୍ରିକା ସ୍ଥାପନା କରିଥିଲେ । ଚନ୍ଦ୍ରମୋହନ ଏହାର ସମ୍ପାଦକ ମଧ୍ୟ ଥିଲେ । ଆଲୋଚନା ସଭାରେ ପଠିତ ଓ ଆଲୋଚିତ ପ୍ରବନ୍ଧମାନ ସେଥିରେ ପ୍ରକାଶିତ ହେଉଥିଲା ।
ରଚନାବଳୀ
- ନବୋଦ୍ୟମ (୧୮୮୮, କବିତା)
- ଚନ୍ଦ୍ରମୋହନ କଥାବଳୀ (ପାଠ୍ୟପୁସ୍ତକ)
- ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ; ପାଠ୍ୟପୁସ୍ତକ)
- ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ; ପାଠ୍ୟପୁସ୍ତକ)