Balaram Sahoo
Quick Facts
Biography
ବଳରାମ ସାହୁ (ଜନ୍ମ: ୩ ମାର୍ଚ୍ଚ ୧୯୨୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
ବଳରାମ ସାହୁ ୧୯୨୮ ମସିହାର ମଇ ମାସ ୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସନାତନ ସାହୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର । ସେ ତାରାମଣୀ ସାହୁଙ୍କୁ ବିବାହ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
୧୯୪୨ ମସିହାରେ ବଳରାମ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିବାବେଳେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଏହାପରଠାରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ସମର୍ଥକ ଥିଲେ ।
ରାଜନୈତିକ ଜୀବନ
ଦେଶ ସ୍ୱାଧୀନ ହେବାପରେ ସେ ରାଜନୀତିରେ ସିଧାସଳଖ ସକ୍ରିୟ ନଥିଲେ, ମାତ୍ର ଓଡ଼ିଶା ପଛରେ ରହିଯିବାରୁ, ସେ ଜଣେ ସକ୍ରିୟ କର୍ମକର୍ତ୍ତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ ।
୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବଳରାମ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ସମୁଦାୟ ୧୧,୭୨୭ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଓ ହରେକୃଷ୍ଣ ମହତାବ ସମୁଦାୟ ୨୨,୬୯୨ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ଏହାପରେ ୧୯୭୧ ମସିହାର ସେପ୍ଟେମ୍ବର ମାସରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ସେ ପୁଣିଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ନିର୍ବାଚନରେ ସେ ସମୁଦାୟ ୧୮୭୨୩ ଖଣ୍ଡ ଭୋଟ ପାଇ ପୁଣି ୨ୟ ସ୍ଥାନରେ ଥିଲେ ଓ ଯୁଗଳ କିଶୋର ପଟ୍ଟନାୟକ ସମୁଦାୟ ୨୫,୫୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୃତ୍ୟୁ
ବଳରାମ ୧୯୮୩ ମସିହାର ଜୁନ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ୬ ସେପ୍ଟେମ୍ବର ୧୯୮୩ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।