Biography
Lists
Also Viewed
Quick Facts
Intro | Politician from Odisha, India | |
Places | India | |
is | Politician | |
Work field | Politics | |
Gender |
| |
Birth | 1971 | |
Age | 54 years | |
Politics: | Indian National Congress |
Biography
ମମତା ମାଢ଼ୀ (ଜନ୍ମ: ୧୧ ଡିସେମ୍ବର ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଓଡ଼ିଶା ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପାର୍ଥୀ ମମତା ମାଢ଼ୀ ଏବଂ ବିଜୁ ଜନତା ଦଳର ପାର୍ଥୀ ଡମ୍ବରୁ ଶିଶାଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା ଏବଂ ମାତ୍ର ୨୫୦ ଖଣ୍ଡ ଭୋଟରେ ଡମ୍ବରୁ ଶିଶାଙ୍କୁ ପରାଜିତ କରି ମମତା ମାଢ଼ୀ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ମମତା ମାଢ଼ୀ ୧୯୭୧ ମସିହାର ଡିସେମ୍ବର ମାସ ୧୧ ତାରିଖରେ ମାଲକାନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ରାମଚନ୍ଦ୍ର ଖରା । ସେ କମ୍ପ୍ୟୁଟର ସଫ୍ଟୱେୟାରରେ ଡିପ୍ଲୋମା କରିଥିଲେ ଏବଂ ପରେ ୧୯୯୩ରୁ ୧୯୯୫ ଯାଏଁ ଜୟପୁରର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ପଢ଼ିଥିଲେ ଏବଂ ସେ ଏଠାରୁ ସ୍ନାତକ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜଣେ କୃଷିବିତ୍ ଭାବରେ କାର୍ଯ୍ୟ କରୁଥିଲେ । ମମତା ନବ କିଶୋର ମାଢ଼ୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି ।
ରାଜନୈତିକ ଜୀବନ
ମମତା ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ମମତା ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ପରିବେଶ, ମହିଳା ଓ ଶିଶୁ ବିକାଶ, ପାଠାଗାର କମିଟି ଆଦିର ଜଣେ ସଭ୍ୟା ଭାବରେ ୨୦୦୦ ମସିହାରୁ ୨୦୦୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମମତା ପୁଣିଥରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୪ଶ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଓ ବିଜୁ ଜନତା ଦଳର ପାର୍ଥୀ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା । ମମତା ସମୁଦାୟ ୨୨,୮୨୨ଟି ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲେ ଏବଂ ବିଜୁ ଜନତା ଦଳର ପାର୍ଥୀ ଡମ୍ବରୁ ଶିଶା ସମୁଦାୟ ୨୨,୫୬୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ । ଉଭୟଙ୍କ ମଧ୍ୟରେ ଭୋଟର ଶତକଡ଼ାର ଅନ୍ତର ଥିଲା ୦.୩୧ ପ୍ରତିଶତ । ମାତ୍ର ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ମମତା ନିର୍ବାଚନ ଲଢ଼ିନଥିଲେ ଏବଂ ପୂର୍ବଥର ୨୫୦ ଖଣ୍ଡ ଭୋଟର ନିର୍ବାଚନ ହାରିଯାଇଥିବା ଡମ୍ବରୁ ଶିଶା ଏହି ନିର୍ବାଚନ ଜିତି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୧ ମସିହାରେ ମାଲକାନାଗିରି ଜିଲ୍ଲାର ଜିଲ୍ଲାପାଳ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ସେହି ସମୟରେ ସେ ସେମାନଙ୍କର ମୁକ୍ତି ପାଇଁ ସରକାର ଏବଂ ମାଓବାଦୀଙ୍କୁ ଅନୁରୋଧ କରିଥିଲେ ଓ ଓଡ଼ିଶା ବିଧାନ ସଭାରେ ସେ କାର୍ଡ଼ବୋର୍ଡ଼ ଧରି ଅନଶନ କରିଥିଲେ ।