ବଂଶୀଧର ପଣ୍ଡା, (୨୬ ନଭେମ୍ବର ୧୯୩୨- ୨୨ ମଇ ୨୦୧୮) ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା । ବିଜୁ ବାବୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବଂଶୀଧର ବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ସେତେବେଳେ, ବଂଶୀଧର ଯୁକ୍ତରାଷ୍ଟ୍ର ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଶିଳ୍ପସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ବଂଶୀଧର, ବିଜୁ ବାବୁଙ୍କ ନିମନ୍ତ୍ରଣ ରକ୍ଷାକରି, ନିଜ ଚାକିରୀ ଛାଡି ଓଡ଼ିଶା ଫେରିଆସିଥିଲେ ଓ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର(ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ଥେରୁବାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ, ଇମ୍ଫା ଓଡ଼ିଶାର ନିଜସ୍ୱ ପ୍ରଯୁକ୍ତିରେ ନିର୍ମିତ ଦ୍ୱିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା । ଇମ୍ଫା ବହୁ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ, ପାରିପାର୍ଶ୍ୱର ବହୁ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିଥିଲା । ବଂଶୀଧର "ଉତ୍କଳ ଚାମ୍ବର ଅଫ କମର୍ସ", "ଏନ ଆଇଟି ରାଉରକେଲା ପରିଚାଳନା ସମିତି", "ଆଇ ଆଇଟି ଖଡ଼ଗପୁର ପରିଚାଳନା ସମିତି"ର ଅଧ୍ୟକ୍ଷ ଏବଂ "ଆଇ ଆଇ ଏମ କଲିକତା ପରିଚାଳନା ସମିତି"ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ବଂଶୀଧର ବାବୁ କେବଳ ଜଣେ ଶିଳ୍ପପତି ନହୋଇ, ସମାଜର ଅନଗ୍ରସର ବର୍ଗର କଲ୍ୟାଣ ନିମନ୍ତେ ଚେଷ୍ଟିତ ଥିଲେ । ୨୦୧୧ରେ 'ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ' ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟକରୁଥିଲେ । ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ ।
ପୁରସ୍କାର ଓ ସମ୍ମାନ
- ଡକ୍ଟରେଟ( ଉତ୍କଳ ବିଶ୍ୱବିଦ୍ୟାଳୟ ) - ୨୦୧୨
- ବିଶ୍ୱଶ୍ୱେରାୟା ସମ୍ମାନ, ୨୦୦୧
ଆଧାର